ଓଡ଼ିଶା

ଦୋଳ ଆଗରୁ ମନ୍ଦିର ମୂର୍ତ୍ତିଶୂନ୍ୟ

ଯାଜପୁର: ଦୋଳ ଆସିବା ଆଗରୁ ମନ୍ଦିର ହୋଇଗଲା ମୂର୍ତ୍ତିଶୂନ୍ୟ । ମନ୍ଦିରରୁ ଉଭେଇଗଲେ ଆଣ୍ଠୁଆ ଗୋପାଳ, ନୃସିଂହ ମୂର୍ତ୍ତି ଓ ରାମ ଲକ୍ଷ୍ଣଣ ସୀତାଙ୍କର ମୂର୍ତ୍ତୀ ସମୁହ । ସାରା ଗାଁରେ ହା ହା କାର । ଯାଜପୁର ଥାନା ଅନ୍ତର୍ଗତ ହୀରାପୁର ଗାଁର ହୀରାବାଗ ରଘୁନାଥଜୀଉ ମଠରୁ ମୂଲ୍ୟବାନ ମୂର୍ତ୍ତି ସହିତ ଅଳଙ୍କାର ଆଦି ସର୍ବସ୍ବ ଲୁଟିନେଲେ ଲୁଟେରା । ଯାହାର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ହେବ । ସକାଳେ ଏହା ଜଣାପଡିବା ପରେ ସାରା ଗାଁ ସ୍ତବ୍ଧ ହୋଇଯାଇଛି ।

ଏଥର କେମିତି ପାଳିବେ ଦୋଳ । କାହାକୁ ନେଇ ଗାଁ ବୁଲିବେ ଶ୍ରଦ୍ଧାଳୁ । ଆଗକୁ ଝୁଲଣ, ମେଳଣ ଆଦି ପର୍ବ କେମିତି ପାଳିବେ । ଯାଜପୁର ଥାନା ଅନ୍ତର୍ଗତ ହୀରାପୁର ଗାଁ ଲୋକଙ୍କ ଭିତରେ ଏମିତି ଭାଳେଣି ପଡିଛି ।  ବିଳମ୍ୱିତ ରାତିରେ ଲୁଟେରା ମାନେ  ମନ୍ଦିରରୁ ଚୋରୀ କରିନେଇଛନ୍ତି ଆଣ୍ଠୁଆ ଗୋପାଳ, ନୃସିଂହ ମୂର୍ତ୍ତି ଓ ରାମ ଲକ୍ଷ୍ଣଣ ସୀତାଙ୍କର ମୂର୍ତ୍ତି। ଗାଁରେ ଥିବା ରଘୁନାଥ ଜୀଉ ମଠରୁ ଚୋରୀ ଯାଇଛି ବହୁ ମୂଲ୍ୟବାନ ମୂର୍ତ୍ତି, ସୁନାରୂପା ଅଳଙ୍କାର ଓ ଅନ୍ୟ ସବୁ ମୂଲ୍ୟବାନ ସାମଗ୍ରୀ। ଯାହାର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଇଛି । ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ତନାଘନା ।

ମନ୍ଦିରର ଚାବି ଭାଙ୍ଗି ସର୍ବସ୍ୱ ଲୁଟିନେଇଛନ୍ତି ଦୁର୍ବୃତ୍ତ । ମୂର୍ତ୍ତି ଗୁଡିକ ଅଷ୍ଟଧାତୁ ଓ ପିତ୍ତଳରେ ନିର୍ମିତ। ଅଭିଯୋଗ ପାଇବା ପରେ ଯାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି ଜଣାଇଛନ୍ତି ।

ମୂର୍ତ୍ତି ଚୋରୀରେ ମ୍ରିୟମାଣ ହୋଇପଡିଛନ୍ତି ପୁରା ଗ୍ରାମବାସୀ । ତୁରନ୍ତ ମୂର୍ତ୍ତି ଗୁଡିକ ଉଦ୍ଧାର କରି ଲୁଟେରା ମାନଙ୍କୁ ଧରିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

ହିମାଂଶୁ କୁମାର ପାଢ଼ୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button