Latest Newsଓଡ଼ିଶା

ରାଜ୍ୟରେ ୩ଦିନ ଧରି ଲଗାଣ ବର୍ଷା ଜାରି – ବିଭିନ୍ନ ଜିଲ୍ଲାକୁ ପଠାଗଲା ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍

ଭୁବନେଶ୍ୱର, 2 ଅଗଷ୍ଟ  – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ରାଜ୍ୟରେ ଗତ ୩ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ବର୍ଷା ତଥା ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ୯ଟି ଜିଲ୍ଲାରେ ୧୦ଟି ଓଡ୍ରାଫ ଓ ଏନଡିଆରଏଫ ଟିମକୁ ମୁତୟନ କରିଥିବାବେଳେ ୧୦ଟି ଜିଲ୍ଲାରେ ୧୩ଟି ଅଗ୍ନିଶମ ସେବା ଟିମକୁ ମୁତୟନ କରିଛନ୍ତି ।

ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଓଡ୍ରାଫ ଟିମକୁ କେନ୍ଦୁଝର, ସମ୍ବଲପୁରର ରେଢାଖୋଲ, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ ଓ ବାଲେଶ୍ୱର ଜିଲ୍ଲାରେ ମୋଟ୍ ୮ଟି ଟିମକୁ ମୁତୟନ କରାଯାଇଥିବାବେଳେ ଏନଡିଆରଏଫର ଗୋଟିଏ ଲେଖାଏଁ ଟିମକୁ ଭଦ୍ରକ ଓ ଯାଜପୁରରେ ମୁତୟନ କରାଯାଇଛି । ସେହିପରି ଭଦ୍ରକ ଓ ଯାଜପୁରରେ ୩ଟି ଲେଖାଏଁ ଅଗ୍ନିଶମ ବାହିନୀ ଟିମ ସମେତ ସମ୍ବଲପୁର,କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ ଓ ବାଲେଶ୍ୱର ଜିଲ୍ଲାରେ ୧୩ଟି ଟିମ୍ ମୁତୟନ ଅଛନ୍ତି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁ କେବଳ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିବାବେଳେ ଅନ୍ୟ ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ତେବେ ଏସବୁ ନଦୀର ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା ବିତ୍ପାତରେ ବହୁ ଅଂଚଳ ଜଳମଗ୍ନ ହୋଇଥିବାବେଳେ ତଳିଆ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଅସ୍ଥାୟୀ ଆଶ୍ରୟସ୍ଥଳୀରେ ସ୍ଥାନାନ୍ତର ହେଉଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ସହ ସ୍ୱଚ୍ଛ ପିଇବା ପାଣି ଦେବାକୁ ପରାମର୍ଶ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button