ଯାଜପୁର

ବାହାନଗାରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ନିଖୋଜ ବାଳକ

କୋରେଇ : ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁହାଁ ଗ୍ରାମର ଜଣେ ବାଳକ ଟିଉସନ ଯିବାକୁ କହି ପାଣିକୋଇଲି ଆସି ଘରକୁ ଫେରି ନଥିବା ନେଇ ଗତକାଲି ପାଣିକୋଇଲି ଥାନାରେ ଅଭିଯୋଗ ହୋଇଥିଲା। ପରେ ସ୍ଥାନୀୟ ସ୍ଵେଚ୍ଛାସେବୀଙ୍କ ଉଦ୍ୟମରେ ଉକ୍ତ ବାଳକଙ୍କ ଫଟୋକୁ ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପରେ ଛାଡିବା ପରେ ପୁଲିସ ଉକ୍ତ ବାଳକକୁ ବାଲେଶ୍ଵର ଜିଲ୍ଲା ବାହାନଗା ନିକଟସ୍ଥ ଏକ ହୋଟେଲରୁ ସୁରକ୍ଷିତ ଭାବେ ଉଦ୍ଧାର କରି ତାଙ୍କ ପରିବାର ଵର୍ଗଙ୍କୁ ହସ୍ତାନ୍ତର କରିଛି।

ପ୍ରକାଶ ଯେ, ବଡ଼ବିରୁହାଁ ଗ୍ରାମର ବଳରାମ ସ୍ଵାଇଁଙ୍କର ପୁଅ ବିଶ୍ଵ ପ୍ରକାଶ ସ୍ଵାଇଁ(୧୫) ଯେକି ପାଣିକୋଇଲିସ୍ଥିତ ମା ତାରିଣୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷର ଛାତ୍ର ଭାବେ ଅଧ୍ୟୟନ କରୁଥିଲେ, ଗତକାଲି ସକାଳ ସମୟରେ ପାଣିକୋଇଲିକୁ ଟିଉସନ ଯାଉଛି କହି ଘରୁ ଆସିଥିଲେ । ପରେ ଘରକୁ ନଫେରିବାରୁ ବିଶ୍ଵଙ୍କ ବଡ଼ଭାଇ ସତ୍ୟ ପ୍ରକାଶ ତାଙ୍କର ସାନଭାଇ ନିଖୋଜ ଥିବା ନେଇ ଗତକାଲି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ପୁଲିସ ଉକ୍ତ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଚାଲୁ ରଖିଥିଲା ଏବଂ ସ୍ଥାନୀୟ ସ୍ଵେଚ୍ଛାସେବୀଙ୍କୁ ନିଖୋଜ ଥିବା ଘଟଣା ପ୍ରକାଶ କରିଥିଲା। ପରେ ପାଣିକୋଇଲି ଅଞ୍ଚଳର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପର ସଭାପତି ଅଶୋକ କୁମାର ଦାସ ବାଳକ ନିଖୋଜ ଥିବା ନେଇ ଏକ ଫଟୋକୁ ବିଭିନ୍ନ ଗ୍ରୁପ ମାଧ୍ୟମରେ ଛାଡିଥିଲେ। ଉକ୍ତ ଫଟୋଟି ୨୦୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି ସେୟାର କରିଥିଲେ । ଏହି ଫଟୋଟି ଭାଇରାଲ ହେବା ପରେ ଉକ୍ତ ବାଳକ ଏକ ସାଇକେଲ ଯୋଗେ ବାଲେଶ୍ଵର ଜିଲ୍ଲା ବାହାନାଗା ଯାଇଥିବା ସୂଚନା ଆସିଥିଲା। ସେ ସେଠାରେ ଏକ ହୋଟେଲରେ ଖାଦ୍ୟ ଖାଉଥିବା ସମୟରେ ସ୍ଥାନୀୟ ଡ୍ରାଇଭର ମହାସଂଘର ସଦସ୍ୟ ଦେଖି ସୂଚନା ଦେଇଥିଲେ । ପରେ ପାଣିକୋଇଲି ଥାନା ସହ ପରିବାର ବର୍ଗ ଓ ପୁଲିସ ବାହାନାଗା ଯାଇ ପିଲାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଘରକୁ ଆଣିଥିବା ଜଣାପଡିଛି । ପୁଲିସ ଏବଂ ସ୍ଵେଚ୍ଛାସେବୀଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Related Articles

Leave a Reply

Your email address will not be published.

Back to top button