ଓଡ଼ିଶା

ମୁହାଁମୁହିଁ ବିଏମସି- ସ୍ମାର୍ଟ ସିଟି ବ୍ୟବସାୟୀ

ଭୁବନେଶ୍ବର: ଅଳିଆ  ଓ ଖାଦ୍ୟର ମାନକୁ ନେଇ ଟେନସନ। ବିଏମସିର ନିର୍ଦେଶକୁ ବ୍ୟବସାୟୀ ମାନୁନଥିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା କରି ରଖିବାକୁ ବିଏମସି କହୁଥିଲେ ବି ଏହାକୁ ଅଧିକାଂଶ କର୍ଣ୍ଣପାତ କରୁନାହାନ୍ତି। ସେପଟେ ଖାଦ୍ୟର ମାନ ଯାଞ୍ଚ ବେଳେ ବିଏମସି ଓ ବ୍ୟବସାୟୀଙ୍କ ଭିତରେ ଅନେକ ସ୍ଥାନରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।

ଅଳିଆ ରଖିବାକୁ ଡଷ୍ଟବିନ୍ ରଖି ନଥିଲେ ୫ହଜାର। ଅଳିଆ ପୃଥକୀକରଣ ନ କଲେ ୫ଶହ ଟଙ୍କା। ୧ ନମ୍ୱର ହାଟ, ମାଷ୍ଟରକ୍ୟାଣ୍ଟିନ ଛକ, ଜନପଥ, ଅଶୋକନଗର ବୁଲିବା ପରେ ଏଭଳି ତାଗିଦ୍ କରିଛନ୍ତି ବିଏମସି କମିଶନର। କାରଣ ଏ ସବୁ ଜାଗାରେ ଅଧିକାଂଶ ବ୍ୟବସାୟୀ ନା ଡଷ୍ଟବିନ୍ ରଖୁଛନ୍ତି ନା ଶୁଖିଲା ଓଦା ଅଳିଆକୁ ରଖିବାକୁ ପୃଥକ୍ ଡଷ୍ଟବିନ୍ ବ୍ୟବହାର କରୁଛନ୍ତି। ଫଳରେ ପ୍ରକ୍ରିୟାକରଣରେ ପ୍ରତିବନ୍ଧକ ହେଉଛି। ଅଳିଆ ରାସ୍ତାଘାଟରେ ପକାଇ ଦେଉଛନ୍ତି ଅନେକ। ବ୍ୟବସାୟୀ ସଂଘ ସହ ଆଲୋଚନା କରି  ସହରକୁ ସଫାସୁତୁରା ରଖିବାରେ ସହଯୋଗ ଲୋଡ଼ିଛନ୍ତି କମିଶନର।

ସକାଳ ୮ଟାରେ ବିଏମସି କମିଶନରଙ୍କ ତାଗିଦା, ଆଲୋଚନାର ଦୁଇ ଘଣ୍ଟା ନ ଯାଉଣୁ ଖାଦ୍ୟର ମାନକୁ ନେଇ ସିଆରପି ଛକରେ ବସିଥିବା ଫାଷ୍ଟଫୁଡ୍ ସେଣ୍ଟରରେ ବିଏମସି- ବ୍ୟବସାୟୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆବର୍ଜନାମୟ ପରିବେଶ ଭିତରେ ନିମ୍ନମାନର ଖାଦ୍ୟ ଲୋକଙ୍କୁ ଦେଉଥିବା ଅଭିଯୋଗରେ ଚଢ଼ାଉ କରିଥିଲା ବିଏମସି ଓ ଫୁଡ୍ ସେଫଟି ବିଭାଗ। ସେପଟେ ଦୋକାନରେ ସବୁ ଠିକ୍ ଅଛି। ତୁଛାଟାରେ ଅଚାନକ ଆସି ଦୋକାନ ବନ୍ଦ କରିବାକୁ ଧମକ ଦେଉଥିବାରୁ ବିଏମସି ଅଧିକାରୀଙ୍କ ସହ ବେଶ୍ ସମୟ ଧରି ଯୁକ୍ତିତର୍କ ଲାଗିଥିଲା।

ସ୍ୱଛ ସହର, ସୁସ୍ଥ ସହର। ଏଭଳି ନାରା ଦେଇ ବିଏମସି ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ସହଯୋଗ ଲୋଡ଼ୁଛି। କିନ୍ତୁ କିଛି ଅମାନିଆଙ୍କ ଲାଗି ଏଥିରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବାରୁ ବିଏମସି କଠୋର ହେବାକୁ ବାଧ୍ୟ ହେଉଛି।

ସ୍ୱରୂପା ମହାପାତ୍ରଙ୍କ ସହ ନବକିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button