ଅପରାଧଜାତୀୟ

ଆର୍ଥିକ ଦୁରାବସ୍ଥା: ପୁଅକୁ ମାରି ବାପା ମାଙ୍କ ଆତ୍ମହତ୍ୟା

ଭଦୋଦରା: ଦୁଇ ଆତ୍ମହତ୍ୟା ଓ ହତ୍ୟା ଘଟଣା । ଏପରି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମଳିଛି ଗୁଜୁରାଟର ଭଦୋଦରା ଠାରେ । ସୋମବାର ଦିନ ଭଦୋଦରାର ଏକ ଭଡାଘରେ  ୩ଟି ମୃତଦେହ ଠାବ ହୋଇଛି । ସ୍ୱାମୀ, ପତ୍ନୀ ଓ ପୁତ୍ରଙ୍କ ମୃତ ଶରୀର ମିଳିଥିଲା। ପ୍ରାଥମିକ ତଦନ୍ତରୁ ଦୁଇଟି ଆତ୍ମହତ୍ୟା ଓ ଗୋଟିଏ ହତ୍ୟା ବୋଲି ଅନୁମାନ କରିଛି ପୋଲିସ ।

ପାନିଗେଟ୍ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଏସ୍ଏ ଗୋହିଲ କହିଛନ୍ତି, ସ୍ୱାମୀଙ୍କ ମୃତଦେହ ପଙ୍ଖାରେ ଝୁଲିଥିଲାବେଳେ , ପତ୍ନୀ ସ୍ନେହାଲ(32) ଓ ସାତ ବର୍ଷର ପୁଅର ମୃତଦେହ ଯଥାକ୍ରମେ ଫ୍ଲୋର ଏବଂ ବେଡରୁ ମଳିଥିଲା ।

କାନ୍ଥରେ ଥିବା ଏକ ଲେଖାରୁ ଜଣାପଡିଛି ଯେ ଆତ୍ମହତ୍ୟା କରିଥିବା ପରିବାରର ମାଲିକ ପ୍ରୀତେଶ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀରୁ ଲୋନ୍ ନେଇଥିଲେ । ଯାହା ସେ ପରିଶୋଧ କରିବାରେ ଅସମର୍ଥ ଥିଲେ । ଫଳସ୍ୱରୁପ ଏପରି ଚରମ ପଦକ୍ଷେପ ନେବାକୁ ସେ ବାଧ୍ୟ ହୋଇଥିଲେ ବୋଲି କାନ୍ଥରେ ଥିବା ଲେଖାରୁ ଜଣାପଡିଛି ।

ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ଯେ, ପ୍ରଥମେ ପୁରୁଷ ଓ ମହିଳା ମିଶି ତାଙ୍କ ପୁଅକୁ ହତ୍ୟା କରିଥିଲେ ଓ ପରେ ଉଭୟ ଆତ୍ମହତ୍ୟା କରିଥିଲେ । ମହିଳାଙ୍କ ବେକରେ ରଶିର ଚିହ୍ନ ଥିବାରୁ ସେ ମଧ୍ୟ ଫାଶି ଦେଇଥିବା ଜଣାପଡିଛି । ତେବେ ପୋଷ୍ଟମୋର୍ଟମ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଗୋହିଲ କହିଛନ୍ତି ।

 ଡେପୁଟି କମିଶନର ପୋଲିସ ୟସପାଲ ଯଗନିଆ ସକାଳେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ କି, ପ୍ରୀତେଶ କେଉଁ କମ୍ପାନୀରୁ କେତେ ଲୋନ୍ ନେଇଥିଲେ ତାହା ତଦନ୍ତ କରାଯିବ। ସେ ଆହୁରି କହିଛନ୍ତି ଯେ, ସକାଳେ ଏ ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା । ପୋଷ୍ଟମୋର୍ଟମ ପରେ ମୃତ୍ୟୁର ପ୍ରକୃତ ସମୟ ଜଣାପଡିବ । ସେ ଆହୁରି ମଧ୍ୟ କହିଛନ୍ତି ଫରେନସିକ୍ ସାଇନ୍ସ ଲାବରୋଟେରୀ (ଏଫ ସି ଏଲ) ର ସହାୟତାରେ ସେମାନଙ୍କ ମୋବାଇଲ ଯାଞ୍ଚ କରାଯାଇ ଅଧିକ ତଥ୍ୟ ହାସଲ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି।

Related Articles

Leave a Reply

Your email address will not be published.

Back to top button