ଓଡ଼ିଶା

ବର୍ଷାଙ୍କୁ ଗ୍ରାଣ୍ଡ ଓ୍ୱେଲକମ୍

() ପଦ୍ମପୁରର ନବନିର୍ବାଚିତ ବିଧାୟକ ବର୍ଷା ସିଂ ବରିହାଙ୍କୁ ଗ୍ରାଣ୍ଡ ଓ୍ୱେଲକମ୍। ପଦ୍ମପୁରରେ ବାପ ଘରେ ଯେଭଳି ସ୍ନେହଶ୍ରଦ୍ଧା ପାଇଥିଲେ, ଭୁବନେଶ୍ୱର ଶ୍ୱଶୁରଙ୍କ ବାସଭବନରେ ଆସି ସମାନ ସ୍ୱାଗତ ସମ୍ୱର୍ଦ୍ଧନା ପାଇଛନ୍ତି। ଆଉ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେବା ଅବସରରେ ପୁରା ଲୋକାରଣ୍ୟ ଓ ଉତ୍ସବମୁଖର ହୋଇପଡ଼ିଥିଲା ପରିବେଶ।

ବର୍ଷା ସିଂ ବରିହା। ପଦ୍ମପୁରର ନବନିର୍ବାଚିତ ବିଧାୟିକା। ପ୍ରଥମ ଥର ପଦ୍ମପୁର ମହିଳାଙ୍କୁ ନିଜର ପ୍ରତିନିଧିତ୍ୱ କରିବାକୁ ବିଧାନସଭା ପଠାଇଛି। ବାପ ଘରେ ବିଜୟ ଉତ୍ସବ ପାଳିବା ପରେ ଆଜି ଭୁବନେଶ୍ୱରସ୍ଥିତ ଶ୍ୱଶୁରଙ୍କ ଘରେ ତାଙ୍କୁ ବେଶ୍ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଛି। ତା ଆଗରୁ ତାଙ୍କର ବିପୁଳ ବିଜୟ ଖବର ପାଇ କଣାସ ବ୍ଲକର ଦୋକନ୍ଦାରେ ଥିବା ଶ୍ୱଶୁରଙ୍କ ଗାଁରେ ବି ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ଗାଁ ଲୋକେ ତାଙ୍କର ଉତ୍ତରୋତ୍ତର କାମନା କରି ପୂଜାର୍ଚ୍ଚନା କରିଥିଲେ। ଆଉ ବର୍ଷା ଯେତେବେଳେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେବାକୁ ଯାଇଥିଲେ, ସେତେବେଳେ ତାଙ୍କୁ ପାଛୋଟି ନେବାକୁ ନେତାଙ୍କ ଭିଡ଼ ଲାଗିଥିଲା। ବର୍ଷାଙ୍କ ସମର୍ଥକ, ପଶ୍ଚିମ ଓଡ଼ିଶାର ତୁଙ୍ଗ ନେତା,ମନ୍ତ୍ରୀ ବି ନବୀନ ନିବାସରେ ଭିଡ଼ ଲଗାଇଥିଲେ।

ଗୁରୁବାର ନବୀନ ନିବାସରେ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସମେତ କିଛି ହାତଗଣତି ମନ୍ତ୍ରୀ ଓ ପଦ୍ମପୁର ଦାୟିତ୍ୱରେ ଥିବା ଉପକୂଳିଆ ନେତାଙ୍କ ଗହଣରେ ବିଜୟ ଉତ୍ସବ ପାଳନ ହୋଇଥିଲା। ଆଉ ଶୁକ୍ରବାର ଏହାକୁ ହାତଛଡ଼ା କରିନଥିଲେ ପଶ୍ଚିମ ଓଡ଼ିଶା ନେତା। ଧାମନଗର ଭଳି ଉପକୂଳ ଆସନରେ ହାରର ପ୍ରତିଶୋଧ ପଦ୍ମପୁର ଭଳି ପଶ୍ଚିମ ଆସନରେ ନେବା ପରେ କାଟତି ବି ବଢ଼ିଛି ଦାୟିତ୍ୱରେ ଥିବା ନେତାଙ୍କର। ଏବେ ପଦ୍ମପୁର ଯାଇ ଧନ୍ୟବାଦ ଦେବାର ବେଳ। ତାଙ୍କ ସମସ୍ୟା ଓ ଏହାର ନିରାକରଣ ଦିଗରେ ପଦ୍ମପୁର ଦାୟିତ୍ୱରେ ଥିବା ନେତାଙ୍କୁ ୧୫ ଦିନ ଭିତରେ ମୁଖ୍ୟମନ୍ତ୍ରୀ ମାଗିଥିବା ରିପୋର୍ଟ କାର୍ଡ ଦେବାର ବେଳ।

ଓ୍ୱେଲକମ୍ ବର୍ଷା। ଓ୍ୱେଲକମ୍ ନବୀନ। ଏହି ନାରାରେ ଫାଟିପଡ଼ୁଛି ବିଜେଡି କ୍ୟାମ୍ପ। ପଦ୍ମପୁରରୁ ନବୀନ ନିବାସ ଯାଏ। ବିଜେଡିକୁ ବିଜୟ ଟିକା ପିନ୍ଧାଇଥିବା ପଦ୍ମପୁରର ପ୍ରତିନିଧିତ୍ୱ କିଭଳି ଢଙ୍ଗରେ ବର୍ଷା ନିର୍ବାହ କରୁଛନ୍ତି, ଦେଖିବାର କଥା।

ନବକିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button