ଓଡ଼ିଶା

ଛିଡୁନି ମୁଖ୍ୟମନ୍ତ୍ରୀ ଅଙ୍କ

() ହିମାଚଳରେ କଂଗ୍ରେସର ମୁଖ୍ୟମନ୍ତ୍ରୀ କିଏ ହେବେ। ବିଭିନ୍ନ ନାଁକୁ ନେଇ ଯେତିକି ଚର୍ଚ୍ଚା, ତାଠୁ ଅଧିକ ଚର୍ଚ୍ଚା ଚାଲିଛି ଏହି ପଦକୁ ନେଇ କଂଗ୍ରେସ ଭିତରେ ଆରମ୍ଭ ହୋଇଥିବା କମ୍ପନ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂଙ୍କ ପରିବାରକୁ ହାଇକମାଣ୍ଡ କଦାପି ଅବହେଳା କରିବେନି କହି ପ୍ରମୁଖ ଦାବିଦାର ପ୍ରତିଭା ସିଂ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ସେପଟେ କଂଗ୍ରେସ କ୍ୟାମ୍ପ ଏହାକୁ ନେଇ ଭାଗ ଭାଗ ହୋଇଗଲାଣି। ତାହା ହେଲେ ଦିନତମାମ କେମିତି ଥିଲା ହିମାଚଳ ସିଏମ ପଦକୁ ନେଇ ହଲଚଲ, ଦେଖନ୍ତୁ ଏହି ରିପୋର୍ଟରେ।

ହିମାଚଳରେ କଂଗ୍ରେସ ସରକାର କରିବାକୁ ଯାଉଛି। କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ପଦରେ ବସିବେ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ନାଁ ଆଗକୁ ଆସିଥିଲା। ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂଙ୍କ ପରିବାର ସବୁଠୁ ବଡ଼ ଦାବିଦାର ଭାବେ ଉଭା ହୋଇଥିଲେ। ହିମାଚଳ ନିର୍ବାଚନ ବୀରଭଦ୍ର ସିଂଙ୍କ ନାଁରେ କଂଗ୍ରେସ ଜିତିଛି। ତାଙ୍କରି ନାଁ,କାମ ଓ ଭାବମୂର୍ତ୍ତିକୁ ଆଧାର କରି କଂଗ୍ରେସ ହିମାଚଳରେ ସଫଳତା ପାଇଛି। କିନ୍ତୁ ଏହାକୁ ଆଉ କେହି ବ୍ୟବହାର କରି କ୍ରେଡିଟ୍ ନେବାକୁ ଚାହିଁବ ଓ ହାଇକମାଣ୍ଡ ବି ଏହାକୁ ଅନୁମତି ଦେବେ, ଏକଥା ହୋଇପାରିବନି ବୋଲି ହିମାଚଳପ୍ରଦେଶ ପିସିସି ସଭାପତି ପ୍ରତିଭା ସିଂ ଚେତେଇ ଦେଇଥିଲେ। ସୋନିଆ ତାଙ୍କୁ ଦାୟିତ୍ୱ ଦେଇଥିଲେ ଓ ସେ ସମସ୍ତ ନିର୍ବାଚନମଣ୍ଡଳୀ ବୁଲି ଦଳକୁ ଜିତାପଟ୍ଟ ଆଣିଛନ୍ତି ବୋଲି ଦାବି କରିଥିଲେ ପ୍ରତିଭା। ଯଦିଓ ବିଧାନସଭା ନିର୍ବାଚନରେ ଫାଇଟ୍ କରିନଥିଲେ ସାଂସଦ ପ୍ରତିଭା। କିନ୍ତୁ ସେ ବିଦାୟୀ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଜିଲ୍ଲାରେ ଅନୁଷ୍ଠିତ ଗଲା ଉପନିର୍ବାଚନରେ ବାଜି ମାରିଥିଲେ। ସେପଟେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରମୁଖ ଦାବିଦାର ଥିବା ବିକ୍ରମାଦିତ୍ୟ ସିଂ କହିଥିଲେ, ଅନେକ ନାଁ ଚର୍ଚ୍ଚା ହେଉଛି। ଏହାକୁ ନେଇ ରଣନୀତି ବି ଜଳଜଳ କରି ଦେଖାଯାଉଛି।  କହିଥିଲେ ନବନିର୍ବାଚିତ ବିଧାୟକ ସ୍ଥିର କରିବେ, ସେମାନଙ୍କ ନେତା କିଏ ହେବ। ବିକ୍ରମାଦିତ୍ୟ ହେଉଛନ୍ତି ପ୍ରତିଭାଙ୍କ ପୁଅ।

ମାଆ ପୁଅଙ୍କୁ ଛାଡ଼ିଦେଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପୂର୍ବତନ ପିସିସି ସଭାପତି ସୁଖବିନ୍ଦର ସିଂ  ସୁଖୁ ଓ ବିଦାୟୀ କଂଗ୍ରେସ ବିଧାୟକ ଦଳ ନେତା ମୁକେଶ ଅଗ୍ନିହୋତ୍ରୀ ବି ରେସ୍ ରେ ଥିଲେ। ଅଗ୍ନିହୋତ୍ରୀ ଦାବି କରନ୍ତି ଯେ, ବିଧାନସଭାରେ ବିଜେପି ସରକାରଙ୍କ ଶାସନ ବିରୁଦ୍ଧରେ ସେ ଗଲା ୫ ବର୍ଷ ଧରି ସ୍ୱରକୁ ଶାଣିତ କରିଥିଲେ। ଅଗ୍ନିହୋତ୍ରୀ ବ୍ରାହ୍ମଣ ନେତା ହୋଇଥିଲା ବେଳେ ସୁଖୁ ଠାକୁର ସମ୍ପ୍ରଦାୟର ବଡ଼ ନେତା ଅଟନ୍ତି। ଏମାନଙ୍କ ବ୍ୟତୀତ ପୂର୍ବତନ ପିସିସି ସଭାପତି କୁଲଦୀପ ସିଂ ରାଠୋର ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର। ଗଲା ୫ ବର୍ଷ ଭିତରେ ଦଳ ଭିତରେ ବିବାଦ ଓ ବିଭାଜନକୁ ଦୂର କରି ଏକାଠି କରିବାରେ ତାଙ୍କର ଭୂମିକା ପ୍ରମୁଖ ଥିଲା ବୋଲି ଦାବି କରନ୍ତି କୁଲଦୀପ୍। ପ୍ରତିଭାଙ୍କୁ ପିସିସି ସଭାପତି କରିବା ପୂର୍ବରୁ ରାଠୋରଙ୍କୁ ଏହି ପଦରୁ ହଟାଇଦେଇଥିଲେ ହାଇକମାଣ୍ଡ। ଏମାନଙ୍କ ବ୍ୟତୀତ ୬ଥରର ବିଧାୟକ ଆଶା କୁମାରୀ ବି ଆଶାବାଦୀ ଥିଲେ।

ତେବେ ଆଜି ସିମଲାରେ ବିଧାୟକ ଦଳର ବୈଠକ ବସି ବିଧାୟକ ଦଳର ନେତା ସହ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ, ତାଙ୍କ ନାଁରେ ବେଶ୍ ଘସାମାନ ଆଲୋଚନା ହୋଇଥିଲା। ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଅଧିକୃତ କରାଯାଇଥିଲା କି, ସେ ଦଳର ଓ୍ୱାନ-ଲାଇନ ପ୍ରସ୍ତାବ ଆଣି ବିଧାୟକ ଦଳ ନେତା ବାଛିବାର ପରମ୍ପରାକୁ ଜାରି ରଖିବେ। ବିଧାୟକ ଦଳ ବୈଠକରେ ସାମିଲ୍ ହେବାକୁ ଦଳର ଦୁଇ ପର୍ଯ୍ୟବେକ୍ଷକ ଭୂପେଶ ବାଘେଲା ଓ ଭୁପିନ୍ଦର ସିଂ ହୁଡ଼ା ସିମଲାରେ ପହଞ୍ଚିଥିଲେ। ବାଘେଲା ହିମାଚଳ ପୋଲ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଥିଲା ବେଳେ ହୁଡ଼ା ହିମାଚଳ ପ୍ରଭାରୀ ଅଟନ୍ତି।

ତେବେ ହିମାଚଳରେ କଂଗ୍ରେସ ୬୮ଟିରୁ ୪୦ ଆସନ ଦଖଲ କରିଛି। ୩ ଜଣ ସ୍ୱାଧୀନ ବିଜେତା ପ୍ରାର୍ଥୀ କେଏଲ ଠାକୁର, ହୋସିୟାର ସିଂ ଓ ଆଶୀଷ ଶର୍ମା ବିଜେପି ବିଦ୍ରୋହୀ ଥିଲେ। ସେମାନଙ୍କୁ କଂଗ୍ରେସ ସାଙ୍ଗରେ ସାମିଲ କରିବ ନା ନାହିଁ, ତାକୁ ନେଇ ବି ସସପେନ୍ସ ଜାରି ରହିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button