ଓଡ଼ିଶା

ପ୍ରଶାସନିକ ବ୍ୟବସ୍ଥା ଭିତରେ ମହାକାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ମାସ। ହବିଷ୍ୟାଳି ମାନେ ଦୀର୍ଘ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ। ଏକମାସ ବ୍ୟାପୀ ବିଭିନ୍ନ ତୀର୍ଥ ପୁଷ୍କରିଣୀ ବା ମହୋଦଧୀରେ ସ୍ନାନ କରି ରାଧାଦାମୋଦର ପୂଜା କରି ମହାପ୍ରଭୁଙ୍କୁ ଦର୍ଶନ ଓ ମହାପ୍ରସାଦ ପାଇ ପୁଣ୍ୟ ଅର୍ଜନ କରିଵେ ହବିଷ୍ୟାଳି । ତେଵେ ଦୁଇବର୍ଷ ହବିଷ୍ୟାଳି ଶିବିର ବନ୍ଦ ରହିଥିବା ବେଳେ ଚଳିତବର୍ଷ ହବିଷ୍ୟାଳିଙ୍କ ରହିବା ପାଇଁ ୫ଟି ଶିବିରର ଆୟୋଜନ କରାଯାଇଛି।

ଅକ୍ଟୋବର ୧୦ରୁ ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ମହାଧାର୍ମିକ କାର୍ତ୍ତିକମାସ ଆରମ୍ଭ ହୋଇଛି। ବ୍ରତଧାରିଣୀ ମାନେ ପଞ୍ଚତୀର୍ଥ ପୁଷ୍କରିଣୀରେ ସ୍ନାନ କରି କାର୍ତ୍ତିକ ବ୍ରତ ପାଇଁ ସଂକଳ୍ପ କରିଥିଲେ। ପରେ ସେମାନେ ରାଇଦାମୋଦର ପୂଜା କରି ହବିଷ ପାଳନ ପୂର୍ବକ ଅପରାହ୍ନରେ ମହାପ୍ରସାଦ ସେବନ କରିଥିଲେ। ଆଜି ସକାଳୁ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟ ସମସ୍ତ ପ୍ରଶାସନିକ ଅଧିକାରୀ ସମସ୍ତ ହବିଷ୍ୟାଳୀ କେନ୍ଦ୍ରକୁ ଯାଇ ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।

ହବିଷ୍ୟାଳୀଙ୍କ ଯାତାୟାତ ସୁବିଧା ପାଇଁ ପ୍ରତ୍ୟେକ କେନ୍ଦ୍ରରୁ ଟାଉନ ବସର ବ୍ୟବସ୍ଥା ହୋଇଛି। ସ୍ବେଚ୍ଛାସେବୀଙ୍କ ସହାୟତାରେ ହବିଷ୍ୟାଳୀ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପଞ୍ଜୀକରଣ ନ କରି  ହବିଷ ପାଇଁ ବିଭିନ୍ନ କେନ୍ଦ୍ରରେ ପହଞ୍ଚିଥିବା ମା’ମାନଙ୍କୁ ରଖିବାର ବ୍ୟବସ୍ଥା କରିଛି ପ୍ରଶାସନ। ସେପଟେ ୫ଟି କେନ୍ଦ୍ରରେ ରହିଛନ୍ତି ୨୯୩୫  ହବିଷ୍ୟାଳୀ । ତେବେ ନୂତନ ଭାବେ ନିର୍ମିତ ହୋଇଥିବା  ବୃନ୍ଦାବତୀ ନିବାସ ମୁଖ୍ୟ ଆକର୍ଷଣ ପାଲଟିଛି। ଏଠାରେ ପୁରୀ,ଗଞ୍ଜାମ ଓ ନୟାଗଡ ଜିଲ୍ଲାର ୧୬୦୪ ଜଣ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ୭୩୦ଜଣ,ମୋଚି ସାହି କଲ୍ୟାଣ ମଣ୍ଡପରେ ଜିଲ୍ଲାର ୬୦୧ ଜଣ ହବିଷ୍ୟାଳୀ ରହିଛନ୍ତି। ସେହିପରି ପ୍ରତ୍ୟେକ ହବିଷ୍ୟାଳୀ କେନ୍ଦ୍ରରେ ସ୍ୱେଚ୍ଛାସେବୀ,ଆଶା ଓ ଅଙ୍ଗନୱାଡି କର୍ମୀ ନିୟୋଜିତ ହୋଇଛନ୍ତି।

ବ୍ରତଧାରୀଙ୍କ ରହିବା, ମହାପ୍ରସାଦ ସେବନ,ଶ୍ରୀଜିଉଙ୍କୁ ଦର୍ଶନ, ପ୍ରବଚନ ଓ ଆଧ୍ୟାତ୍ମିକ ଆଲୋଚନା  ପାଇଁ  ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପିଣ୍ଟୁ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button