dhamnagar bipoll

  • ଧାମନଗର ଉପନିର୍ବାଚନ ନେଇ ପ୍ରସ୍ତୁତି

    ଭୁବନେଶ୍ବର/ ଧାମନଗର: ଧାମନଗରରେ ବିଜେପି ଆଗ ପ୍ରାର୍ଥୀ ଦେଇ ନିଜର ଷ୍ଟାଣ୍ଡ କ୍ଲିଅର କରିସାରିଛି। ବିଜେଡି ଯେକୌଣସି ମୂହୂର୍ତ୍ତରେ ପ୍ରାର୍ଥୀ ଘୋଷଣା କରିବ। ମୈଦାନରେ କାହାକୁ ଓହ୍ଲାଇବ, ସେ ନିଷ୍ପତ୍ତି ମଙ୍ଗଳବାରକୁ ରଖିଛି କଂଗ୍ରେସ। ଏହାରି ଭିତରେ ବିଜେପି ଓ ବିଜେଡିର ମାରାଥନ ପ୍ରଚାର ଜୋରଦାର ହେଲାଣି ଧାମନଗରରେ। କଂଗ୍ରେସ ପଡ଼ିଆକୁ ଓହ୍ଲାଇନଥିବା ବେଳେ ଭିତିରିଆ ବୈଠକରେ ଉପଯୁକ୍ତ ପ୍ରାର୍ଥୀ ସନ୍ଧାନରେ ସମୟ ଲଗାଇଛି।

    ଧାମନଗର ପାଇଁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ନିଜର ପ୍ରଚାରକୁ ଜୋରଦାର କଲେଣି। ଆଜି ତାଙ୍କ ସହ ଯୋଡ଼ି ହୋଇଛନ୍ତି ପ୍ରଚାର ମୈଦାନରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ଅନେକ ତୁଙ୍ଗ ନେତା। ଭଦ୍ରକାଳୀଙ୍କ ଦର୍ଶନରୁ ବିଜେପିର ପ୍ରଚାର ଆରମ୍ଭ ହୋଇଥିଲା। ବିଜେପି ଏଠାରେ ନିଜର ଆସନ କେବଳ ବଜାୟ ରଖିବନି। ବରଂ ଏଥର ଅଧିକ ବ୍ୟବଧାନରେ ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଛି। ବାଲେଶ୍ୱର ଉପନିର୍ବାଚନରେ ବିଜେଡି ବିଜୟୀ ହୋଇ ବିଜେପି ହାତରୁ ଆସନ ଛଡାଇନେବାକୁ ଯେଉଁ ପନ୍ଥା ଆପଣାଇଥିଲା, ତାହାର ପୁନରାବୃତ୍ତି କରିବାକୁ ଏଠାରେ ଦିଆଯିବନି ବୋଲି ଚେତାଇ ଦେଇଛି ଦଳ।

    ସେପଟେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ଆରମ୍ଭରୁ ଅଙ୍କକଷା ଚାଲିଥିଲା ବେଳେ ଦଳର ଜନସମ୍ପର୍କ ପଦଯାତ୍ରାରେ କିଛି ଆଶାୟୀଙ୍କୁ ଆଗ ଧାଡ଼ଡିରେ ଦେଖିବାକୁ ମିଳିଥିଲା। ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଯଦିଓ ବହୁ ଆଗରୁ ଟିକଟ ଆଶାୟୀ ଥିଲେ, ତେବେ ତାଙ୍କ ନାଁକୁ ନେଇ ସହମତି ସହଜେ ପ୍ରକାଶ ପାଉନଥିଲା। ଧାମନଗର ରାଧାବଲ୍ଲଭ ପଞ୍ଚାୟତରୁ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ପଦଯାତ୍ରାରେ ସାମିଲ୍ ହୋଇଥିଲେ ରାଜେନ୍ଦ୍ର। ଆଉ କଂଗ୍ରେସ ଧାମନଗରରେ ଗ୍ରାଉଣ୍ଡକୁ ଏ ଯାଏ ଓହ୍ଲାଇନି। ପ୍ରାର୍ଥୀ ଚୟନ ନେଇ ଧୁଷୁରୀରେ ପ୍ରଥମ ବୈଠକ ପରେ ସୋମବାର କଂଗ୍ରେସ ଭବନରେ ଚୂଡ଼ାନ୍ତ ପ୍ରାର୍ଥୀ ଚୟନ ବୈଠକ ସରିଛି। ମୈଦାନକୁ କିଏ ଓହ୍ଲାଇବ, ମଙ୍ଗଳବାରକୁ ସ୍ପଷ୍ଟ କରିବ କଂଗ୍ରେସ।

    ଧାମନଗର ଦୁଲୁକୁଛି। ପ୍ରଚାର ପ୍ରସାର ଓ ପ୍ରାର୍ଥୀ ଚୟନରେ ବିଜେପି ଆଗରେ ଥିଲା ବେଳେ ପ୍ରାର୍ଥୀ ଚୟନ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଆସିଲା ଯାଏ ଅପେକ୍ଷା ବି କରିନି ବିଜେଡି। ଆଉ କଂଗ୍ରେସ ବି ଗ୍ରାଉଣ୍ଡକୁ ଓହ୍ଲାଇବାକୁ ସଜବାଜ ହୋଇଗଲାଣି। କାରଣ ଆଉ ସମୟ ନାହିଁ ହାତରେ।

    ନବକିଶୋର ସାହୁଙ୍କ ସହ ସତ୍ୟବ୍ରତ ପ୍ରଧାନଙ୍କ ରିପୋର୍ଟ

  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ

     ଭୁବନେଶ୍ବର/ ଧାମନଗର: ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ। ଅକ୍ଟୋବର ୭ରେ ଏ ନେଇ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା। ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ନେଇ ୬ଟି ରାଜ୍ୟର ୭ଟି କ୍ଷେତ୍ରରେ ଉପନିର୍ବାଚନ ଲାଗି ନୋଟିସ କରାଯାଇଛି। ଆଉ ଏହାକୁ ତାଳ ଦେଇ ଧାମନଗର ଆସନ ହାତେଇବାକୁ ତିନି ପ୍ରମୁଖ ଦଳ ଭିତରେ ଆରମ୍ଭ ହୋଇଛି କସରତ।

    ମହାରାଷ୍ଟ୍ର, ବିହାର, ହରିଆଣା, ତେଲେଙ୍ଗାନା, ୟୁପି ସମେତ ଓଡ଼ିଶାର ୭ଟି ଆସନରେ ହେବାକୁ ଯାଉଛି ଉପନିର୍ବାଚନ। ଭାରତୀୟ ନିର୍ବାଚନ କମିଶନ ଏ ନେଇ ଘୋଷଣା କରିଛନ୍ତି। ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଏହି ଆସନ ଲାଗି ନଭେମ୍ୱର ୩ରେ ହେବ ଉପନିର୍ବାଚନ। ଆଉ ଏଥିଲାଗି ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଅକ୍ଟୋବର ୧୪ ନାମାଙ୍କନର ଶେଷ ତାରିଖ ରହିଥିଲା ବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୧୭। ନଭେମ୍ୱର ୬ରେ ଗଣତି ଓ ଫଳ ପ୍ରକାଶ ପାଇବ। ଆଉ ତାରିଖ ଘୋଷଣା ପରେ ତିନି ପ୍ରମୁଖ ଦଳ ଭିତରେ ଏହାକୁ ନେଇ କସରତ ଆରମ୍ଭ ହୋଇଛି। ବିଜେପି ଏହି ଆସନକୁ ପୁଣି ବଜାୟ ରଖିବ ବୋଲି ଦମ୍ଭୋକ୍ତି ଦେଖାଇଛି।

    ବିଷ୍ଣୁଙ୍କ ବିକାଶମୂଳକ କାମ, ତାଙ୍କ ପ୍ରତି ଲୋକଙ୍କର ସ୍ନେହଶ୍ରଦ୍ଧା ଓ ଜନସମ୍ପର୍କକୁ ପାଥେୟ କରି ଉପନିର୍ବାଚନ ଜିତିବ ଦଳ। ବେଶୀ ପରିଶ୍ରମ କରିବାକୁ ପଡ଼ିବନି। କଂଗ୍ରେସ କହିଛି, ଆସନ ଅକ୍ତିଆର କରିବାକୁ ପୁରା ଦମ୍ ଲଗାଇଦେବ। ୨୪ ଆଗରୁ ଧାମନଗରରୁ ଟ୍ରେଲର ଦେଖାଇବ। ଦଳ ଫାଇଟ୍ କରିବାକୁ ପୁରା ପ୍ରସ୍ତୁତ ଅଛି। ଶାସକ ଦଳ କହିଛି, ଧାମନଗରରେ ଏକତରଫା ବିଜୟ ହାସଲ କରିବ ବିଜେଡି। ପ୍ରାର୍ଥୀ ଚୟନରେ ଅଡୁଆ ହେବନି। ରାଜନୀତିରେ ଅନୁକମ୍ପା ଭୋଟ୍ ରହିଛି ସତ। କିନ୍ତୁ ଲୋକଙ୍କ ଲାଗି କାମ କରୁଥିବା ଦଳ ଅନୁକମ୍ପା ସତ୍ତ୍ୱେ ଜିତିବ। ବାଲେଶ୍ୱର ଭଳି ଧାମନଗର ଉପନିର୍ବାଚନର ଫଳ ବି ବିଜେଡି ସପକ୍ଷରେ ଯିବ।

    ବିଷ୍ଣୁଙ୍କ ଦ୍ୱାଦଶାହରେ ତାଙ୍କ ଗାଁକୁ ଯାଇଥିଲେ ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡା। ମଙ୍ଗରାଜପୁରରେ ପରିବାରକୁ ଭେଟିବା ସହ ତିହିଡ଼ି କଲେଜ ପରିସରରେ ଆୟୋଜିତ ସ୍ମୃତିସଭାରେ ବିଷ୍ଣୁ ଦେଖାଇଯାଇଥିବା ପଥରେ ଆଗେଇବାକୁ ହେବ ବୋଲି କର୍ମୀଙ୍କୁ ଅପିଲ୍ କରିଥିଲେ। ବିଷ୍ଣୁଙ୍କ ପରିବାରରୁ କାହାକୁ ଦଳ ପ୍ରାର୍ଥୀ କରିବ ନା ବାହାରୁ, ସେ ଗଣିତ ଯଦିଓ ସ୍ପଷ୍ଟ ହୋଇନି। ତେବେ ସମର୍ଥକଙ୍କ କଥା ରହିବ ନା ଦଳୀୟ ରଣନୀତି ଆଉ କିଛି ରହିବ, ସେ ସସପେନ୍ସ ଜାରି ରହିଛି।

    କ୍ରମାଗତ ଉପନିର୍ବାଚନରେ ଜିତିକି ଆସୁଛି ବିଜେଡି। ନିଜ ଆସନ ବଜାୟ ରଖିବା ସହ ବିରୋଧୀଙ୍କ ହାତରୁ ବି ଛଡ଼ାଇ ଆଣିଛି ଆସନ। ଏଭଳି ସ୍ଥଳେ ଧାମନଗର ଉପନିର୍ବାଚନରେ ବିଜେପି ନିଜ ଆସନକୁ ରଖିପାରୁଛି ନା ଏଠି ବିଜେଡି ପୁଣି ନିଜର କରିସ୍ମା ଦେଖାଇବ। ଅବା କଂଗ୍ରେସ କିଛି ଅଲୌକିକତା କରୁଛି।

    ଶାନ୍ତନୁ ପଣ୍ଡା ଓ ସିମ୍ପୁଲ ନାୟକଙ୍କ ରିପୋର୍ଟ

Back to top button