ଓଡ଼ିଶା

ଦୁର୍ଦ୍ଦଶାରେ ଫନି କ୍ଷତିଗ୍ରସ୍ତ ପାନଚାଷୀ

ପୁରୀ:  ଫନି ବାତ୍ୟାର ସାଢେ଼ ତିନି ବର୍ଷ ପରେ ମଧ୍ୟ ପାନଚାଷୀଙ୍କୁ ମିଳିଲା ନାହିଁ  ସହାୟତା ଟଙ୍କା। ପୁରୀ ଜିଲ୍ଲାର କେତେକ ବ୍ଳକରେ ଫନି ସହାୟତା ପାନଚାଷୀ ପାଇ ସାରିଲେଣି। ହେଲେ ପିପିଲି ଅଞ୍ଚଳର କ୍ଷତଗ୍ରସ୍ତ ପାନଚାଷୀଙ୍କୁ ଏପର୍ଯ୍ୟନ୍ତ ସହାୟତା ରାଶି ମିଳିନଥିବା ବେଳେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପାନଚାଷୀ ଚେତାବନୀ ଦେଇଛନ୍ତି। ସେପଟେ ଯେଉଁ ଚାଷୀ ସହାୟତାରୁ ବାଦ୍ ପଡିଛନ୍ତି ସେମାନଙ୍କ ପାଇଁ ସରକାର ସବସିଡର ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି ଉଦ୍ୟାନକୃଷି ନିର୍ଦ୍ଦେଶିକା !

ପୁରୀ ଜିଲ୍ଲାରେ ଫନି ଅନେକ କିଛି କ୍ଷୟକ୍ଷତି କରିଥିଲା। ପାନ ଚାଷ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ପାନଚାଷକୁ ବେଉସା କରି ପରିବାର ଚଳାଉଥିବା ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ସରକାର ପାନଚାଷୀଙ୍କୁ ଫନି ସହାୟତା ବାବଦ 15 ହଜାର ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କଲେ। କୃଷି ବିଭାଗ, ଉଦ୍ୟାନକୃଷି ବିଭାଗ ଏବଂ ରାଜସ୍ୱ ବିଭାଗଙ୍କ ମିଳିତ ସହଯୋଗରେ ତିନି ତିନି ଥର ତଦନ୍ତ ହେଲା, ଜିଲ୍ଲା ତାଲିକାରେ ପିପିଲିରୁ ମାତ୍ର 226 ଜଣଙ୍କ ନାମ ରହିଥିଲା ବେଳେ ଅନେକ ମଧ୍ୟ ବାଦ୍ ପଡ଼ିଥିଲେ। ହେଲେ ଏବେ ପ୍ରଶାସନ ପୁଣି ସେଥିରୁ କାଣ୍ଟଛାଣ୍ଟ କରି ମାତ୍ର 43 ଜଣ ପାନ ଚାଷୀଙ୍କ ତାଲିକା ପ୍ରକାଶ କରିଛି, ଯାହାକୁ ନେଇ ପିପିଲି ଅଞ୍ଚଳର ଚାଷୀ ମାନେ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି! ସେପଟେ ପ୍ରଶାସନ ଦୃଷ୍ଟି ଦେଇ ସମାଧାନ କରନ୍ତୁ। ନଚେତ ସବୁ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପାନଚାଷୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି!

ସେପଟେ ସମସ୍ତ ଫନି କ୍ଷତିଗ୍ରସ୍ତ ପାନଚାଷୀଙ୍କୁ ସହାୟତା ପ୍ରଦାନ କରିବା ସମ୍ଭବ ହୋଇନି।  ସେଥିପାଇଁ ବିଭାଗ ତରଫରୁ 400 ସ୍କୋୟାର ମିଟରର ଯେଉଁ ମାନେ ନୂଆ ପାନବରଜ ତିଆରି କରିବେ ସେମାନେ ହିଁ ଏହି 15 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପାଇପାରିବେ ଅନ୍ୟମାନେ ସେଥିପାଇଁ ବାଦ୍ ପଡ଼ିଲେ। କୃଷି ବିଭାଗ, ଉଦ୍ୟାନକୃଷି ଓ ରାଜସ୍ୱ ବିଭାଗର ମଳିତ ତଦନ୍ତ ରିପୋର୍ଟ ମିଳିବା ବିଳମ୍ଵ ହେବା ଯୋଗୁଁ ସମସ୍ୟା ହୋଇଥଲା। ଏବେ କାକଟପୁର ଅଞ୍ଚଳର ଚାଷୀମାନେ ସହାୟତା ପାଇଲେଣି । ଏକ ସପ୍ତାହ ମଧ୍ୟରେ ପିପିଲିର 43 ଜଣ ପାନଚାଷୀ ମଧ୍ୟ ପାଇପାରିବେ , ଯେଉଁମାନେ 226 ତାଲିକାରେ ଯୋଗ୍ୟ ବିବେଚିତ ହୋଇଥିଲେ ସେମାନେ ଆବେଦନ କଲେ  40 ହଜାର ଟଙ୍କାର ସବସିଡ ମଧ୍ୟ ପାଇପାରିବେ ବୋଲି କହିଛନ୍ତି ଉଦ୍ୟାନକୃଷି ନିର୍ଦ୍ଦେଶିକା ମଞ୍ଜୁଳା ତ୍ରିପାଠୀ!

ତେବେ ପିପିଲି ପାନଚାଷରେ ହେଉ ଅବା ପାନହାଟ ହେଉ ଉଭୟ ରେ ରାଜ୍ୟରେ ଏକ ପ୍ରମୁଖ ସ୍ଥାନ ନେଇଥିଲେ ମଧ୍ୟ କେବେ ମିଳୁଛି ସରକାରୀ ସହାୟତା ତାକୁ ହିଁ ଅପେକ୍ଷା।  

ସନ୍ତୋଷ କୁମାର ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button