ଓଡ଼ିଶାରାଜନୀତି

କେନ୍ଦ୍ରର ବିଦ୍ୟୁତ୍ ଶୁଳ୍କ ବ୍ୟବସ୍ଥାର ପରିବର୍ତ୍ତନ : ଝିଣ୍ଟିକା ମାରି ବଣି ପୋଷ : ସମାଜବାଦୀ ପାର୍ଟି

ଭୁବନେଶ୍ୱର : କେନ୍ଦ୍ର ହୁଅନ୍ତୁ ବା ରାଜ୍ୟ ହୁଅନ୍ତ, ବିଦ୍ୟୁତ୍ ଶୁଳ୍କର ଇନ୍ଦ୍ରଜାଲ ଭିତରେ ଗରିବ ଲୋକଙ୍କୁ ଲୁଟ୍ କରି କମ୍ପାନୀକୁ ଫାଇଦା ଦେବାପାଇଁ ବିଜୁଳି ବ୍ୟବସ୍ଥାର ବାରମ୍ବାର ପରିବର୍ତନ କରିଚାଲିଛନ୍ତି । କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ. ସିଂହ ‘ବିଦ୍ୟୁତ୍ ଉପଭୋକ୍ତା ଅଧିକାର ନିୟମାବଳୀ ୨୦୨୦ର ସଂଶୋଧନ କରି ଏକ ନୂଆ ବିଦ୍ୟୁତ୍ ଶୁଳ୍କ ବ୍ୟବସ୍ଥା ପ୍ରବର୍ତନ କରିବାକୁ ଯାଉଛନ୍ତି । ଏହି ପରିବର୍ତନ ଅନୁଯାୟୀ ଜଣେ ଉପଭୋକ୍ତା ଦିନର ସବୁ ସମୟ ପାଇଁ ଗୋଟିଏ ପ୍ରକାର ଶୁଳ୍କ ପୈଠ କରିବା ପରିବର୍ତେ ଭିନ୍ନ ଭିନ୍ନ ସମୟ ପାଇଁ ଭିନ୍ନ ଭିନ୍ନ ଦରରେ ଶୁଳ୍କ ପୈଠ କରିବେ । ଟିଓଡି ଟାରିଫ୍ ବ୍ୟବସ୍ଥାରେ ସୋଲାର ଆୱାର୍ସରେ ଶତକଡ଼ା ୧୦ ରୁ ୨୦ ବିଦ୍ୟୁତ୍ ଶୁଳ୍କ କମ୍ ରହିବ । ସେହିଭଳି ରାତିରେ ବିଜୁଳି ଶୁଳ୍କ ୧୦ ରୁ ୨୦ ଭାଗ ବଢିଯିବ । ଏହି ଶୁଳ୍କ ବ୍ୟବସ୍ଥାର ପରିବର୍ତନ କେନ୍ଦ୍ର ସରକାରଙ୍କର ‘ଝିଣ୍ଟିକା ମାରି ବଣି ପୋଷିବା ନୀତି’ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଅଭିଯୋଗ କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏହି ବିଜୁଳି ଶୁଳ୍କ ନୀତିକୁ ସମାଲୋଚନା କରି କହିଛନ୍ତି ଯେ, ବିଜୁଳି ବ୍ୟବସ୍ଥାର ଘରୋଇକରଣ ଫଳରେ ଖାଉଟିମାନେ ଶୋଷିତ ହେଉଛନ୍ତି । ପ୍ରତିବର୍ଷ ଶୁଳ୍କ ବଢିବାରେ ଲାଗିଛି । ନିରବଚ୍ଛିନ୍ନ, ଗୁଣାତ୍ମକ ବିଜୁଳି ସେବା ଖାଉଟିମାନେ ପାଇପାରୁ ନାହାଁନ୍ତି । ପ୍ରତିଦିନ ଘଂଟାଘଂଟା ବିଜୁଳି କାଟ ହେଉଛି । ସ୍ମାର୍ଟ ମିଟର ନାଁରେ ଖାଉଟିଙ୍କୁ ବାରମ୍ବାର ମିଟର ପରିବର୍ତନ କରି କମ୍ପାନୀମାନେ ଶୋଷଣ କରୁଛନ୍ତି । ସରକାର ତାଙ୍କୁ ଏହି ଶୋଷଣ ପାଇଁ ଲଗାମହୀନ ଭାବରେ ଛାଡ଼ି ଦେଇଛନ୍ତି । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଓଡ଼ିଶାରେ ବିଜୁଳି ବ୍ୟବସ୍ଥା ଏହାର ଏକ ପ୍ରକୃଷ୍ଟ ଉଦାହରଣ । ୧୯୯୪-୯୫ ମସିହାରେ ବିଶ୍ୱବ୍ୟାଙ୍କର ୧୭୫୦ କୋଟି ଟଙ୍କା ଋଣରେ ରାଜ୍ୟରେ ବିଜୁଳି ବ୍ୟବସ୍ଥାରେ ସଂସ୍କାର ବା ବିଜୁଳିର ଘରୋଇକରଣ କରାଯାଇଥିଲା । ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଶକ୍ତି କ୍ଷେତ୍ରରେ ସଂସ୍କାର ହେଲେ ଓଡ଼ିଶାବାସୀ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ପାଇପାରିବେ । ଆଜି ଯେତେବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି ତା’ଠାରୁ ଅଧିକ ଜମ ଯନ୍ତ୍ରଣା ଭୋଗୁଛନ୍ତି ଘଣ୍ଟାଘଣ୍ଟା ଅଘୋଷିତ ବିଜୁଳିକାଟ ପାଇଁ । ଅନ୍ୟ ଏକ ଦିଗରେ ସରବରାହ ଜନିତ ଯେଉଁ କ୍ଷତି ହେଉଛି, ଏହାଦ୍ୱାରା କମ୍ପାନୀମାନେ ଓ.ଇ.ଆର.ସି.କୁ ଢାଲ କରି ଉପଭୋକ୍ତାମାନଙ୍କ ଉପରେ ସେହି କ୍ଷତିକୁ ଲଦି ଚାଲିଛନ୍ତି । ଫଳରେ ପ୍ରତିବର୍ଷ ବିଜୁଳି ଶୁଳ୍କ ବଢିବଢି ଚାଲିଛି । ବିଜୁଳି ବଳକା ରାଜ୍ୟ ବୋଲି ଦାବି କରୁଥିବା ଓଡ଼ିଶାରେ ବିଜୁଳି ଆଜି ଦିନକୁ ଦିନକୁ ମହଙ୍ଗା ହେବାରେ ଲାଗିଛି ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କର ଏହି ବିଦ୍ୟୁତ୍ ଶୁଳ୍କ ବ୍ୟବସ୍ଥାର ପରିବର୍ତନ, ସାଧାରଣ ଖାଉଟିଙ୍କୁ ଲାଭ ଦେବା ପରିବର୍ତେ ବିଜୁଳି ବ୍ୟବସାୟରେ ପାଦ ଦେଇଥିବା କମ୍ପାନୀମାନଙ୍କର ମୁନାଫା ପାଇଁ ଉଦ୍ଦିଷ୍ଟ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି । ଏହା ବିରୁଦ୍ଧରେ ଆଗାମୀ ଦିନରେ ଦଳମତ ନିର୍ବିଶେଷରେ ଗଣ ଆନ୍ଦୋଳନ କରିବାକୁ ଶ୍ରୀ ବେହେରା ଆହ୍ୱାନ କରିଛନ୍ତି । ।

Leave a Reply

Your email address will not be published.

Back to top button