ଓଡ଼ିଶାରାଜନୀତି

ରାଜ୍ୟସ୍ତରିୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଗର୍ଜିଲେ ନରସିଂହ

ବଲାଙ୍ଗିର : ବଲାଙ୍ଗିରରେ ବିପର୍ଯ୍ୟୟ ପରିଚାଳନା ପାଇଁ ସରକାରଙ୍କ ଠାରୁ ଲଢେଇ କରି ଅନେକ ଅନୁଦାନ ଅଣାଯାଇଛି । ହଠାତ ମାତ୍ରାଧିକ ବର୍ଷା ଦ୍ଵାରା ଗନ୍ଧ୍ରେଲ ଡ୍ୟାମରୁ ପାଣି ଆସି ଲକ୍ଷ୍ମୀ ଜୋର୍ ଉଛୁଳି ବହୁ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ସେ ଅସୁବିଧାକୁ ଆଖି ଆଗରେ ରଖି ପୁଣି ଲକ୍ଷ୍ମୀ ଯୋରରେ ବନ୍ୟା ପ୍ରତିରୋଧକ ବାଡ, ଉଭୟ କଡରେ ରାସ୍ତା ଓ ନାଳ ସହ ଗନ୍ଧ୍ରେଲ ଡ୍ୟାମର ମଧ୍ୟ ମରାମତି ଓ ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଅଣାଯାଇଛି । କିନ୍ତୁ, ସରକାର ଦେଉଥିବା ଅନୁଦାନ ଏଠାରେ ପ୍ରଶାସନିକ ଅବହେଳା ଯୋଗୁଁ ଖର୍ଚ୍ଚ ହୋଇପାରୁ ନାହିଁ । ହଠାତ ପୁଣି ଥରେ ଯଦି ରେକର୍ଡ ପରିମାଣର ବର୍ଷା ହୁଏ ତେବେ ବଲାଙ୍ଗିରରେ ଯେ ଏକ ବଡ ବିପର୍ଯ୍ୟୟ ସୃଷ୍ଟି ନହେବ ତାହା କିଏ କହି ପାରିବ । କେବଳ ପ୍ରଶାସନିକ ଅବହେଳା ନୁହେଁ ଏଥିରେ ସ୍ଥାନୀୟ ସରକାରୀ ଦଳର ବଡପଣ୍ଡା ମାନେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଆସିଥିବା ଅର୍ଥ ବିନିଯୋଗ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ତେଣୁ, ଏହା ପ୍ରମାଣିତ କରୁଛି ଯେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ରାଜ୍ୟ ସରକାର ବଲାଙ୍ଗିରର ବିପର୍ଯ୍ୟୟ ପରିଚାଳନା ବେଳକୁ ଏକ ଅପାରଗ ସରକାର ଭାବରେ ନିଜକୁ ପ୍ରମାଣିତ କରୁଛି ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକରେ ସ୍ଥାନୀୟ ଓସ୍ଵାନ ସମ୍ମିଳନୀ କକ୍ଷରୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କ୍ଷୋଭର ସହ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତବର୍ଷ ର ବିପର୍ଯ୍ୟୟ ରିଚାଳନା କମିଟି ବୈଠକରେ ବଲାଙ୍ଗିର ପାଇଁ ପଚରା ଯାଇଥିବା ପ୍ରଶ୍ନର ବିଭାଗ ପକ୍ଷରୁ ଦିଆଇଥିବା ଉତ୍ତର ସଂପୁର୍ଣ୍ଣ ଭାବେ ମନଗଢା ଓ ମିଥ୍ୟା । ଯେପରିକି ଉତ୍ତରରେ କୁହାଯାଇଛି ଯେ, ଲକ୍ଷ୍ମୀ ଯୋର ପାର୍ଶ୍ଵରେ ଜବର ଦଖଲରେ ଥିବା ଲୋକଙ୍କୁ ଉଚ୍ଛେଦ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । କିନ୍ତୁ, ବିଡମ୍ବନାର ବିଷୟ ଏଠାରେ ବାସ କରୁଥିବା ଭୂମୀହିନ ଓ ଗରୀବଙ୍କୁ ଜାଗା ଓ ଘର ଦିଆଯାଇଥିଲେ ହେଁ , ଧନୀ ଜବରଦଖଲକାରୀ ଏବଂ ମ୍ୟୁନିସିପାଲିଟିର ଚାପରେ ବେଆଇନ ଧନୀ ଜବରଦଖଲକାରୀଙ୍କୁ ହଟା ଯାଉ ନାହିଁ । ତେଣୁ ଏଥିରୁ ସ୍ପଷ୍ଟ ଯେ, ଯୋଜନା କାର୍ଯ୍ୟକାରୀତା କ୍ଷେତ୍ରରେ ସରକାରଙ୍କ ଡାହାଣ ଓ ବାମ ହାତ ମଧ୍ୟରେ ଶାସକ ଦଳର ଚାପ ଯୋଗୁଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେଉଛି । ଏହାର ଜଳନ୍ତ ଉଦାହରଣ ହେଉଛି ମହାରଣୀ ସାଗର ସୌନ୍ଦର୍ଯିକରଣ ପ୍ରକଳ୍ପ। ଯେଉଁ ପ୍ରକଳ୍ପ ପାଇଁ ଦେଢ ବର୍ଷ ପୂର୍ବରୁ ଆଠ କୋଟି ଟଙ୍କା ଅନୁଦାନ ଆସି ପୌର ପରିଷଦ ଓ ସ୍ଥାନୀୟ ବିଜେଡି ନେତାଙ୍କ ଚାପ ଯୋଗୁଁ କାମ ନହୋଇ ପଡି ରହିଛି ।

ବୈଠକରେ ବିଧାୟକ ଶ୍ରୀ ମିଶ୍ର ନାଇକେନ ଯୋର ଠାରେ ଚେକଡ୍ୟାମରେ ଫଟକରା ନୁଆପଡାରୁ କୁଡାସିଂହା ମଧ୍ୟରେ ବଡ ଅଂଚଳରେ ମାଟି ଜମି ଯାଉଥିବାରୁ ଲୋକଙ୍କ ଅନେକ ଅସୁବିଧା ହେଉଛି । ତେଣୁ ଏହି ମାଟି ଉଠାଇବା ପାଇଁ ପଦକ୍ଷେପ ନିଆଯାଉ ବୋଲି ପ୍ରସ୍ତାବ ଦେଇଥିଲେ । ଠିକ ସେହିପରି ଶୋନଗଡ ନଦୀ ଉପରେ ଶିକୁଆଁ- ଭୁତିଆର ବାହାଲ ବ୍ୟାରେଜର ମଞ୍ଜୁରି ଚୁଡାନ୍ତ ପର୍ଯ୍ୟାୟରେ ଥିଲା କିନ୍ତୁ, ଏହା ଯୋଗୁଁ ଏକ ଗାଁ ପାଣିଘେରରେ ରହିଯିବା ଭୟ ଥିବାରୁ ତାର ଡିପିଆରରେ କିଛି ପରିବତର୍ତନ କରାଯାଇଥିଲା । ଯାହାକି ଆଜି ପର୍ଯ୍ୟନ୍ତ ବୈଷୟୀକ କମିଟିର ମଞ୍ଜୁରି ପାଇଁ ଅଟକି ରହିଛି । ଏହି ପ୍ରକଳ୍ପକୁ ପ୍ରାଥମିକତା ଭିତ୍ତିରେ ଶିଘ୍ର ଆରମ୍ଭ କରାଯାଉ । ଆନ୍ତଃନଦୀ ଜଳ ସଂରକ୍ଷଣ ପ୍ରକଳ୍ପ ଯୋଗୁଁ ଚିର ମରୁଡି ପ୍ରପିଡିତ ବଲାଙ୍ଗିର ଜିଲ୍ଲାର ଜମି ଆଦ୍ରତା, ଉର୍ବରତା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ସୋନଗଡ ନଦୀ ଉପରେ ଜରାସିଂହା ଠାରେ ଏକ ଆନ୍ତଃନଦୀ ଜଳସଂରକ୍ଷଣ ବ୍ୟାରେଜ ନିର୍ମାଣ କରାଯିବା ଆବଶ୍ୟକ ଏବଂ ବନ୍ୟା ପ୍ରତିରୋଧକ ଏବଂ ତେଲନଦୀ ଓ ସୋନଗଡ ନଦୀରେ ବନ୍ୟା ପ୍ରତିରୋଧକ ବାଡ ନିର୍ମାଣ କରାଯାଉ ବୋଲି ବିଧାୟକ ଶ୍ରୀ ମିଶ୍ର ନିଜ ଆଲୋଚନା ବେଳେ ପ୍ରସ୍ତାବ ରଖିଥିଲେ । ବୈଠକରେ ଶ୍ରୀ ମିଶ୍ର ଲୋୟର ଶୁକତେଲ ଜଳ ସେଚନ ପ୍ରକଳ୍ପ ଏବଂ ଶୁକତେଲ ନଦୀ ଉପରେ ଚାଲିଥିବା ଆନ୍ତଃନଦୀ ଜଳ ସଂରକ୍ଷଣ ବ୍ୟାରେଜର କାମ କ୍ଷିପ୍ର ଗତିରେ ଚାଲିଥିବାରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କୁ ଧନ୍ୟବାଦ ଦେବା ସହ ସେ ଦେଇଥିବା ବିଭିନ୍ନ ପ୍ରସ୍ତାବ ଗୁଡିକୁ ଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ ।

Leave a Reply

Your email address will not be published.

Back to top button