Kendujhar

ଟୋପାଏ ପାଣି ପାଇଁ ଡହଳ ବିକଳ ରିମୁଳି ୧୨ ନଂ ୱାର୍ଡ ବାସୀ

ଚମ୍ପୁଆ : ବିତଶାଳୀ କେନ୍ଦୁଝର ଜିଲ୍ଲାର ଖଣି ଖାଦାନ ଭରା ଚମ୍ପୁଆ ଉପଖଣ୍ଡ । ଯିଏ ରାଜ୍ୟକୁ ସର୍ବାଧିକ ରାଜସ୍ୱ ପ୍ରଦାନ କରେ ବୋଲି ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । କିନ୍ତୁ ଏହି ଉପଖଣ୍ଡ ରେ ବସବାସ କରୁଥିବା ଲୋକ ମାନେ ଯେ ସାଧାରଣ ମୌଳିକ ସୁବିଧା ଟିକେ ବି ପାଇ ପାରୁ ନାହାନ୍ତି ତାହା ଯେତିକି ଅବିଶ୍ୱାସନୀୟ ସେତିକି ସତ୍ୟ । ଏଠି ସରକାର ଲୋକଙ୍କ ସୁବିଧା ପାଇଁ ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା କାର୍ଯ୍ୟକାରି ହେଉ ନ ଥିବା ଦେଖିବାକୁ ମିଳୁଛି । ସାଧାରଣ ପିଇବା ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଉପାନ୍ତ ଚମ୍ପୁଆ ବ୍ଲକ ଅନ୍ତର୍ଗତ ରିମୁଳି ୧୨ ନଂ ୱାର୍ଡ । ଏହି ୱାର୍ଡରେ ପ୍ରାୟ ୪୦ରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ସାହି ବାସିନ୍ଦାଙ୍କ ପାଇଁ ଦୁଇଟି ନଳକୂପ ରହିଛି, ହେଲେ ନଳକୂପ ଦୁଇଟି ଥାଇ ବି ନ ଥିବା ସଙ୍ଗେ ସମାନ । ନଳକୂପ ରୁ ନା ବାହାରୁଛି ପାଣି ନା ପୁରୁଛି ବାଲଟି । ସ୍ୱଜଳଧାରା ଯୋଜନାରେ ଯଦିଓ ପାଣି ବ୍ୟବସ୍ଥା ହୋଇଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ଆବଶ୍ୟକ ଅନୁଯାୟୀ ପାଣି ଯୋଗାଣ ହେଉ ନ ଥିବାରୁ ସାହି ବାସୀନ୍ଦା ଟୋପାଏ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗରାଏ ପିଇବା ପାଣି ପାଇଁ ଘଂଟା ଘଂଟା ଧରି ଧୁ ଧୁ ଖରାରେ ଲାଇନ ଲାଗିବାକୁ ପଡୁଛି । ତଥାପି ଆବଶ୍ୟକ ଅନୁଯାୟୀ ପିଇବା ପାଣି ମୁନ୍ଦାଏ ପାଇ ପାରୁ ନାହାନ୍ତି । ଏ ସମ୍ପର୍କରେ ରିମୁଳି ପଂଚାୟତ ସରପଂଚଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା କଥା ଦୁଃଖର ସହିତ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏହି ସାହି ବାସିନ୍ଦା ସମସ୍ତେ ପ୍ରାୟ ଦିନ ମଜୁରିଆ, ମୁଲ ମଜୁରୀ କରି ଚଳୁ ଥିବା ଏହି ନିରୀହ ଗରିବ ଲୋକ ମାନେ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିଲେ ମଧ୍ୟ ରିମୁଳି ପଂଚାୟତ ପକ୍ଷରୁ ସାହିରେ ପାଣି ବ୍ୟବସ୍ଥା ପାଇଁ ତିଳେ ହେଲେ ଆଗ୍ରହ ପ୍ରକାଶ କରାଯାଉ ନ ଥିବାରୁ ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ରିମୁଳି ୧୨ ନଂ ୱାର୍ଡ ର ପାଣି ସମସ୍ୟା ତୁରନ୍ତ ଦୂର କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button