ଅର୍ଥନୀତିବ୍ୟବସାୟ

ସଂସଦରେ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୩ ଗୃହୀତ

ନୂଆଦିଲ୍ଲୀ : ରାଜ୍ୟ ସଭାରେ ଆଜି ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍-୨୦୨୩ ଗୃହୀତ ହୋଇଛି । ପୂର୍ବରୁ ଏହା ଲୋକସଭାରେ ଗୃହୀତ ହୋଇଥିଲା । ଏଥି ସହିତ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ଟି ସଂସଦରେ ଅନୁମୋଦନ ଲାଭ କରିଛି । ଏହା ଫଳରେ ୧୯୫୭ର ଖଣି ଓ ଖଣିଜ ପଦାର୍ଥ ଆଇନରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଓ ସଂଶୋଧନ କରାଯାଇଛି । ୨୦୨୩ ଜୁଲାଇ ୨୮ରେ ଏହି ସଂଶୋଧନ ବିଲ୍ ଲୋକସଭାରେ ଗୃହୀତ ହୋଇଥିଲା । ଏବେ ସଂସଦର ଅନୁମୋଦନ ପାଇବା ପରେ ଆଇନ ଅନୁସାରେ ବିଲ୍ଟି ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ଯିବ । ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଲେ ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେବ । ୧୯୫୭ର ଏମ୍ଏମ୍ଡିଆର୍ ଆଇନକୁ ୨୦୧୫ରେ ବ୍ୟାପକଭାବେ ସଂଶୋଧନ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଖଣି କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାରକୁ କାର୍ଯ୍ୟକାରୀ କରିବା । ଏଥିରେ ଖଣିଜ ନିଲାମରେ ସ୍ୱଚ୍ଛତା ଆଣିବା ଥିଲା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହାଛଡା ଜିଲ୍ଲା ଖଣିଜ ପାଣ୍ଠି ଗଠନ କରି ପ୍ରଭାବିତ ଜିଲ୍ଲାଗୁଡିକରେ ଲୋକଙ୍କ ପାଇଁ କଲ୍ୟାଣମୂଳକ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା, ଜାତୀୟ ଖଣିଜ ଉତ୍ତୋଳନ ଟ୍ରଷ୍ଠ ଗଠନ, ବେଆଇନ ଖଣି ଖନନ ବିରୋଧରେ କଠୋର ଦଣ୍ଡବିଧାନ ଆଦି ନୂଆ ନୂଆ ପଦକ୍ଷେପ ଓ ସଂସ୍କାର ଏହି ସଂଶୋଧନରେ ଅଣାଯାଇଥିଲା ।

ପରବର୍ତ୍ତୀ ସମୟରେ ଖଣି କ୍ଷେତ୍ରରେ ନୂଆ ସମସ୍ୟାବଳୀର ସମାଧାନ ପାଇଁ ଆଇନକୁ ୨୦୧୬ ଓ ୨୦୨୦ରେ ଦୁଇଥର ସରକାର ସଂଶୋଧିତ କରିଥିଲେ । ତଥାପି ଏହି ସବୁ ସମସ୍ୟାର ସମାଧାନ ନ ହେବାରୁ ଆଉ କିଛି ଆବଶ୍ୟକତା ପଡିବାରୁ ଶେଷ ଥର ପାଇଁ ୨୦୨୧ରେ ଏହି ଆଇନରେ ପୁନର୍ବାର ସଂଶୋଧନ କରାଯାଇଥିଲା । ଏଥିରେ ନିଜସ୍ୱ(କ୍ୟାପଟିଭ) ଓ ବ୍ୟାବସାୟିକ (ମର୍ଚ୍ଚାଣ୍ଟ) ଖଣି ମଧ୍ୟରେ ଥିବା ପାର୍ଥକ୍ୟର ଅବସାନ, ଲିଜ ପରିବର୍ତ୍ତନ, ବୈଧାନିକ ଅନୁମତିର ହସ୍ତାନ୍ତର କରି ଖଣିଜ କ୍ଷେତ୍ରରେ କାମକୁ ଜାରି ରଖିବା, ଖଣି ନିଲାମଧାରୀଙ୍କ ଲାଇସେନ୍ସକୁ ଆବଶ୍ୟକସ୍ଥଳେ ଅନ୍ୟକୁ ପ୍ରଦାନ, ବେଆଇନ କାର୍ଯ୍ୟରେ ଲିପ୍ତ ଖଣି ନିଲାମକୁ ରଦ୍ଦ କରିବା ଏବଂ କାର୍ଯ୍ୟକ୍ଷମ ହୋଇ ପାରୁ ନଥିବା ଖଣିର ମାଲିକାନା ଘରୋଇ ଉଦ୍ୟୋଗକୁ ନିଲାମ ଆକାରରେ ଦେବା ଏହି ସଂଶୋଧନ ଓ ସଂସ୍କାରର ଅନ୍ତର୍ଭୁକ୍ତ ଥିଲା ।

ଏସବୁ ସତ୍ତ୍ୱେ ଦେଶର ଖଣି ଉଦ୍ୟୋଗରେ ଆହୁରି କିଛି ସଂସ୍କାରର ଆବଶ୍ୟକତା ପଡିଲା । ବିଶେଷକରି ଗୁରୁତ୍ୱପୂର୍ଣ୍ଣ ଓ ମାଟିର ଅତି ତଳେ ଥିବା ଖଣିଜ ପଦାର୍ଥର ଉତ୍ତୋଳନ ନିମନ୍ତେ ଆଇନରେ ସଂଶୋଧନ ଜରୁରୀ ଥିଲା । ଦେଶର ଅର୍ଥନୀତିକ ବିକାଶ ଓ ଜାତୀୟ ନିରାପତା ପାଇଁ ଏସବୁ ଖଣିଜର ଉତ୍ତୋଳନ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସରକାର ଆଇନରେ ସଂସ୍କାର ଏବଂ ସଂଶୋଧନ ଆଣିଛନ୍ତି ।

ଦେଶରେ କେତେକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅଭାବ ରହିଛି । ତେଣୁ ଦେଶର ଯେଉଁ ସବୁ ସ୍ଥାନରେ ଏସବୁ ଖଣି ରହିଛି ତାହାର ଖନନ ଓ ଖଣିଜ ଉତ୍ତୋଳନ ଜରୁରୀ ହୋଇଛି । ଏହା ଫଳରେ ସେସବୁ ଖଣିଜ ସମ୍ପଦର ଯୋଗାଣ ବ୍ୟବସ୍ଥା ସୁସଂହତ ହେବ । ବିଶ୍ୱର ଭବିଷ୍ୟତର ଟେକ୍ନୋଲୋଜି ଏବେ ଲିଥିୟମ୍, ଗ୍ରାଫାଇଟ୍, କୋବାଲ୍ଟ,ଟାଇଟାନିୟମ୍ ଓ କିଛି ବିରଳ ମୃତ୍ତିକା ଉପରେ ବିଶେଷ ନିର୍ଭର କରୁଛି । ଏହା ସବୁ ଗୁରୁତ୍ୱପୂର୍ଣ୍ଣ ଓ ବିରଳ ଖଣିଜ ଦ୍ରବ୍ୟ ଶ୍ରେଣୀର । ଭାରତର ଊର୍ଜା ପରିବର୍ତ୍ତନ ନୀତି ଓ ୨୦୭୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନ ବନ୍ଦ କରିବା ଲକ୍ଷ୍ୟ ପୂରଣ ପାଇଁ ଏସବୁ ଗୁରୁତ୍ୱପୂର୍ଣ୍ଣ ଖଣିଜର ବିଶେଷ ଭୂମିକା ରହିଛି ।

ତେଣୁ ଖଣି ଓ ଖଣିଜ ଆଇନରେ ଆହୁରି ଅଧିକ ସଂଶୋଧନ ଆଣିବାର ଆବଶ୍ୟକତା ପଡିଥିଲା । ୨୦୨୩ ସଂଶୋଧିତ ଖଣି ଆଇନରେ ପୂର୍ବରୁ ଥିବା ୧୨ ପ୍ରକାର ଆଣବିକ ଖଣିଜ ପଦାର୍ଥ ତାଲିକାରୁ ଛ’ଟିକୁ ପ୍ରତ୍ୟାହାର କରି ନିଆଯାଇଛି । । ସେଗୁଡିକ ହେଲା ଲିଥିୟମ, ଟାଇଟା ନିୟମ, ବେରିଲ ଓ ଅନ୍ୟାନ୍ୟ ବେରିଲିୟମ ବାହୀ ଖଣିଜ ପଦାର୍ଥ ଯଥା ନିୟୋବିୟମ୍, ଟାଣ୍ଟାଲମ୍ ଓ ଜିର୍କୋନିୟମ । ଏସବୁ ଖଣିଜ ପଦାର୍ଥ ଥିବା ଖଣିଜକୁ ଏଣିକି ଉତ୍ତୋଳନ କରି ହେବ ।

ଦ୍ୱିତୀୟରେ ଏସବୁ ଗୁରୁତ୍ୱପୂର୍ଣ୍ଣ ଖଣିଜର ଉତ୍ତୋଳନ ଓ ନିଲାମ କାମ କେବଳ କେନ୍ଦ୍ର ସରକାର କରିବେ । ଯେଉଁ ରାଜ୍ୟରୁ ଏହି ଖଣିଜ ପଦାର୍ଥ ଖନନ ହେବ ସେ ରାଜ୍ୟକୁ କେନ୍ଦ୍ର ନିଲାମ ଆୟରୁ ମିଳୁଥିବା ରାଜସ୍ୱ ଯୋଗାଇବ । ତୃତୀୟରେ ଭୂଗର୍ଭର ଅତି ତଳେ ଥିବା ଗୁରୁତ୍ୱପୂର୍ଣ୍ଣ ଖଣିଜର ଉତ୍ତୋଳନ ଓ ବିକ୍ରିବଟା ପାଇଁ କେନ୍ଦ୍ର ସରକାର ଲିଜ୍ ଓ ଅନୁମତି ଦେବେ ଏବଂ ଏହାର ନିଲାମ କାମ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯିବ ।

ତେବେ ଆଣବିକ ଖଣିଜର ଉତ୍ତୋଳନ ଓ ବିକ୍ରିବଟା ଉପରେ ପୂର୍ବବତ୍ କଟକଣା ଜାରି ରହିଛି । ସରକାର ସେହି ତାଲିକାରୁ କେବଳ ଅଣ ବିକିରଣ ଖଣିଜ ପଦାର୍ଥକୁ ବାଦ ଦେଇ ତାହାର ଉତ୍ତୋଳନ ଓ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି । ଏଥିରେ ରହିଛି ମଲିବଡେନମ୍, ରେଜିୟମ୍, ଟଙ୍ଗଷ୍ଟନ୍, କାଡମିୟମ୍, ଇଣ୍ଡିୟମ୍, ଗାଲିୟମ, ଗ୍ରାଫାଇଟ୍, ଭାନାଡିୟମ, ଟେଲିରିୟମ, ସେଲେନିୟମ, ନିକେଲ, କୋବାଲ୍ଟ, ଟିନ୍, ପ୍ଲାଟିନମ୍, ବିରଳ ଥୋରିୟମ, ୟୁରାନିୟମ, ପଟାସ୍, ଗ୍ଲକୋନାଇଟ୍ ଓ ଫସ୍ଫେଟ(ୟୁରାନିୟମ ମୁକ୍ତ) ।

ଏ ଯାଏ ରାଜ୍ୟ ସରକାରମାନେ ୧୯ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ଖଣିକୁ ନିଲାମ କରିଛନ୍ତି । ସେଥିରେ ରହିଛି ଗ୍ରାଫାଇଟ୍, ନିକେଲ ଓ ଫସ୍ଫେଟ୍ । ଏଭଳି ମୋଟ ୧୦୭ଟି ଖଣିକୁ ନିଲାମ ପାଇଁ କେନ୍ଦ୍ର ବିଭିନ୍ନ ରାଜ୍ୟ ସରକାରଙ୍କୁ ଦେଇ ସାରିଛନ୍ତି ।

ଏସବୁ ଗୁରୁ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆମ ଅର୍ଥନୀତି ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବାରୁ କେନ୍ଦ୍ର ସରକାର ସମ୍ପୃକ୍ତ ଖଣି ଆଇନରେ ଆବଶ୍ୟକ ସଂଶୋଧନ ଆଣିଛନ୍ତି । ଏହା ଦେଶର ଆର୍ଥିକ ବିକାଶ ଏବଂ ନିରାପତା ପାଇଁ ବିଶେଷ ସହାୟକ ହେବ ।

Related Articles

Leave a Reply

Your email address will not be published.

Back to top button